ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗର ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ମାନ୍ୟବର ଏସ୍.ଡି.ଜେ.ଏମ୍., ପାରଳାଖେମୁଣ୍ଡିଙ୍କ ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା ବା ନନ୍-ବେଲେବଲ୍ ୱାରେଣ୍ଟ କାର୍ଯ୍ୟକାରୀ କରି ଏହି ଗିରଫଦାରୀ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ମନ୍ମଥ କୁମ୍ଭଙ୍କୁ ତାଙ୍କ ନିଜ ଗ୍ରାମରୁ ଗିରଫ କରାଯାଇଛି। ସେ ନିଜ ଗ୍ରାମରେ ଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂଚନା ମିଳିବା ପରେ ଏକ ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ତାଙ୍କୁ ଧରିଥିଲା।
ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ପରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମକୁ ନେଇ ମାମଲାରେ ଅଭିଯୋଗ ଓ ତଦନ୍ତ ହୋଇଥିଲା। ତେବେ ଏହି ମାମଲାରେ କାହାର ଦୋଷ ଆଇନଗତ ଭାବେ ପ୍ରମାଣିତ ହୋଇଛି କି ନାହିଁ, ତାହା ଅଦାଲତର ଚୂଡ଼ାନ୍ତ ରାୟ ଉପରେ ନିର୍ଭରଶୀଳ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୨ ଓ ୧୨୦-ବି ସମ୍ପର୍କିତ ମାମଲାରେ ମନ୍ମଥ କୁମ୍ଭଙ୍କୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ପରୱାନା ଜାରି ହୋଇଥିଲା।
ପରୱାନା ଅନୁଯାୟୀ ଗିରଫ ପରେ ମନ୍ମଥ କୁମ୍ଭଙ୍କୁ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ଏସ୍.ଡି.ଜେ.ଏମ୍., ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଇ ଥିବା ବେଳେ ଆଜି କୋର୍ଟ ପକ୍ଷରୁ ବେଲ୍ ଖାରଜ କରି ଜେଲ୍ କୁ ପଠାଇଛନ୍ତି ମାନ୍ୟବର କୋର୍ଟ, ଏହି ଗିରଫଦାରୀ ପରେ ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମାମଲା ପୁଣିଥରେ ଆଇନଗତ ଚର୍ଚ୍ଚାକୁ ଆସିଛି।
ଗଜପତି ଜିଲ୍ଲା ରୁ ଜିତେନ୍ଦ୍ର କୁମାର ବେହେରା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ |
