ବୈବାହିକ ବିବାଦ ଏବଂ ଘରୋଇ ହିଂସା ଆଇନର ଅପବ୍ୟବହାର ଅଭିଯୋଗ ଆଣି ଜୀବନ ହାରିଲେ ଜଣେ ଯୁବକ । ମହାରାଷ୍ଟ୍ରର ପ୍ରାୟ ୧୭୦୦ ଫୁଟ ଉଚ୍ଚ ପାହାଡ଼ରୁ ଖାଇକୁ ଡେଇଁ ଗୁଜରାଟର ଜଣେ ଯୁବକ ଚରମ ପଦକ୍ଷେପ ନେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁ ପୂର୍ବରୁ ସେ ରେକର୍ଡ କରିଥିବା ଏକ ୧୩ ମିନିଟର ଭିଡିଓରେ ଶ୍ୱଶୁର ଘର ପକ୍ଷରୁ ମାନସିକ ନିର୍ୟାତନା ଦିଆଯାଉଥିବା କଥା କହିବା ସହ ବର୍ତ୍ତମାନର ଆଇନରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ।ମହାରାଷ୍ଟ୍ରର ହରିଶ୍ଚନ୍ଦ୍ରଗଡ଼ ଅନ୍ତର୍ଗତ କୋଙ୍କଣକଡ଼ାର ଏହି ୧୭୦୦ ଫୁଟ ଗଭୀର ଖାଇ ।
ଏଠାରୁ ଡେଇଁ ନିଜ ଜୀବନ ଶେଷ କରିଛନ୍ତି ଗୁଜରାଟର ଡାକ ବିଭାଗ କର୍ମଚାରୀ ବିଶ୍ୱରାଜ ଗୋହିଲ । ଚଳିତ ବର୍ଷ ତାଙ୍କର ବିବାହ ହୋଇଥିବା ବେଳେ କିଛି ମାସ ମଧ୍ୟରେ ପାରିବାରିକ କଳହ ଚରମ ସୀମାରେ ପହଞ୍ଚିଥିଲା । ମୃତ୍ୟୁ ପୂର୍ବରୁ ବିଶ୍ୱରାଜ କ୍ୟାମେରା ଆଗରେ ନିଜ ଯନ୍ତ୍ରଣା ବଖାଣି ଏକ ୧୩ ମିନିଟର ଭିଡିଓ ରେକର୍ଡ କରିଥିଲେ।
ସେଥିରେ ସେ ସିଧାସଳଖ ଶଶୁର ଘର ଲୋକଙ୍କ ଉପରେ ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କ ପରିବାର ଲୋକଙ୍କୁ ମିଥ୍ୟା ଘରୋଇ ହିଂସା ମାମଲାରେ ଛନ୍ଦି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ।ବୈବାହିକ ବିବାଦ କିଭଳି ଜଣେ ଯୁବକଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କଲା, ତାହା ଏବେ ତଦନ୍ତସାପେକ୍ଷ। ତେବେ ଏହି ଘଟଣା ପୁଣି ଥରେ ବୈବାହିକ ବିବାଦ ଏବଂ ଘରୋଇ ହିଂସା ଆଇନର ପ୍ରୟୋଗ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
