ଆସିକା (ଗଞ୍ଜାମ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆସିକା ବ୍ଲକ ବାବନପୁରଠାରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ “ପଞ୍ଚୁଦଣ୍ଡ ମହା ମିଳନ”। ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
ଚୈତ୍ର ମାସର ଏହି ପବିତ୍ର ଅବସରରେ ବିଭିନ୍ନ ଅଞ୍ଚଳରୁ ପାଞ୍ଚଟି ପ୍ରମୁଖ ଦଣ୍ଡ ଦଳ (ପଞ୍ଚୁଦଣ୍ଡ) ବାବନପୁରଠାରେ ଏକତ୍ରିତ ହୋଇଥିଲେ। ମା’ କାଳୀ ଏବଂ ପ୍ରଭୁ ଶ୍ରୀ ଶ୍ରୀ ରୁଦ୍ରପାଶୁପତିଙ୍କ ଜୟଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇଥିଲା। ଏହି ମହା ମିଳନ ଦେଖିବା ପାଇଁ ଆସିକା ତଥା ଆଖପାଖ ଅଞ୍ଚଳରୁ ପ୍ରବଳ ଭିଡ଼ ଜମିଥିଲା।
ଦିନର ଧୂଳିଦଣ୍ଡ ପରେ ସନ୍ଧ୍ୟାରେ ମା’ଙ୍କ ଅଗ୍ନିଦଣ୍ଡ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ପାରମ୍ପରିକ ଦଣ୍ଡନାଚ ଦର୍ଶକଙ୍କୁ ବିମୋହିତ କରିଥିଲା। ଭକ୍ତମାନେ ମାନସିକ ପୂରଣ ପାଇଁ ମା’ଙ୍କ ନିକଟରେ ଦୀପ ଦାନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ଏବଂ ସ୍ୱେଚ୍ଛାସେବୀମାନେ ସଜାଗ ରହିଥିଲେ।
ଗଞ୍ଜାମ ଜିଲ୍ଲାର ଏହି ପାରମ୍ପରିକ ପର୍ବ ପ୍ରତି ଲୋକଙ୍କର ଅନାବିଳ ଶ୍ରଦ୍ଧା ରହିଛି। “ଏଭଳି ପଞ୍ଚୁଦଣ୍ଡ ମହା ମିଳନ ଆମ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରେ,” ବୋଲି ଜଣେ ଶ୍ରଦ୍ଧାଳୁ ମତ ଦେଇଛନ୍ତି।
ହଜାର ହଜାର ଭକ୍ତଙ୍କ ଗହଳି ଯୋଗୁଁ ବାବନପୁର ଅଞ୍ଚଳ ଏକ ଛୋଟକାଟିଆ କୁମ୍ଭମେଳାର ଭ୍ରମ ସୃଷ୍ଟି କରୁଥିଲା। ଏହି ମହା ମିଳନ ଉତ୍ସବଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆସିକା ବାବନ୍ ପୁର ରୁ କବିରାଜ ପାତ୍ର ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟଜ୍।
