ଖୋର୍ଦ୍ଧା:( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ସହରର ଉପକଣ୍ଠରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ ଉପରେ ପୋଲିସର ଶକ୍ତ ପ୍ରହାର। ଖୋର୍ଦ୍ଧା-ଜଟଣୀ ବାଇପାସ୍ ନିକଟରେ ଥିବା ଏକ ହୋଟେଲରେ ଦୀର୍ଘ ଦିନ ଧରି ଚାଲିଥିବା ଦେହ ବେପାରର ପର୍ଦ୍ଦାଫାଶ କରିଛି ଶିଳ୍ପାଞ୍ଚଳ ଥାନା ପୋଲିସ। ଏହି ଚଢ଼ାଉ ସମୟରେ ପୋଲିସ ଜଣେ ମହିଳା ଦଲାଲ (ରାଣୀ ମହୁମାଛି) ଓ ହୋଟେଲ ମାଲିକଙ୍କ ସମେତ ୯ ଜଣଙ୍କୁ କାବୁ କରିଛି।

କିପରି ହୋଇଥିଲା ଚଢ଼ାଉ?
ସୂଚନା ଅନୁଯାୟୀ, ବାଇପାସ୍ ନିକଟସ୍ଥ ଏକ ହୋଟେଲରେ ଦେହ ବେପାର ଚାଲିଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ଗୁପ୍ତ ଖବର ମିଳିଥିଲା। ଏହାକୁ ଆଧାର କରି ଶିଳ୍ପାଞ୍ଚଳ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ହୋଟେଲର ବିଭିନ୍ନ ରୁମରୁ ୫ ଜଣ ଗ୍ରାହକ ଓ ୨ ଜଣ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା।

ମାଲିକ ଓ ‘ରାଣୀ ମହୁମାଛି’ଙ୍କ ମଧୁଚନ୍ଦ୍ରିକା
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କଳା କାରବାର ପଛରେ ହୋଟେଲ ମାଲିକ ଓ ଜଣେ ମହିଳା ଦଲାଲଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲା। ମହିଳା ଦଲାଲ ଜଣକ ବିଭିନ୍ନ ସ୍ଥାନରୁ ଯୁବତୀମାନଙ୍କୁ ଯୋଗାଉଥିବା ବେଳେ ହୋଟେଲ ମାଲିକ ଗ୍ରାହକ ଯୋଗାଡ଼ କରିବାରେ ସାହାଯ୍ୟ କରୁଥିଲେ। ପୋଲିସ ଏହି ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି।
ପୋଲିସର କାର୍ଯ୍ୟାନୁଷ୍ଠାନ
ବର୍ତ୍ତମାନ ସୁଦ୍ଧା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ବେପାରରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ଖୋଳତାଡ଼ କରାଯାଉଛି। ଖୁବଶୀଘ୍ର ପୋଲିସ ଏ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ଦେବ ବୋଲି ଜଣାପଡ଼ିଛି।
