ଗଜପତି (ଜିତେନ୍ଦ୍ର ବେହେରା )ପୁଣି ଆସିଛି ଦାଦନ ଦୁଃଖର ସାଂଘାତିକ ଚିତ୍ର l ତେଲେଙ୍ଗାନାରେ ଫସି ରହିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ l ଗତ ୫ ଦିନ ହେଲା ଖାଇବାକୁ ରାସନ ଚାଉଳ ନାହିଁ କି ପାଖରେ ଟଙ୍କା ମଧ୍ୟ ନାହିଁ l , ଫଳରେ ଭୋକ ଉପାସରେ ପଡି ରହିଛନ୍ତି ଶ୍ରମିକମାନେ l ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ଶ୍ରମିକମାନେ l ଅନ୍ୟ ପକ୍ଷରେ ସେମାନଙ୍କ ମଧ୍ୟରୁ 2 ଜଣ ଶ୍ରମିକ କୌଶଳ କ୍ରମେ ଖସି ଆସି ଗଜପତି ଜିଲ୍ଲା ଚନ୍ଦ୍ରଗିରି ରେ ପହଞ୍ଚିଛନ୍ତି l ସେମାନେ ହେଲା ଚନ୍ଦ୍ରଗିରି ବ୍ରହ୍ମସିଂ ଗାଁର ବିକି ମଣ୍ଡଳ ଓ ପ୍ରଦୀପ ରଇତ l ଚନ୍ଦ୍ରଗିରି ରେ ପହଞ୍ଚିବା ପରେ ଦାଦନ ଦୁଃଖ ଓ ଯନ୍ତ୍ରଣା ନେଇ ବଖାଣିଛନ୍ତି ସବୁ କଥା l ଗତ ତିନି ମାସ ପୂର୍ବରୁ ଗଜପତି ଜିଲ୍ଲା ମୋହନା, ରା.ଉଦୟଗିରୀ , ନୂଆଗଡ,ଓ ରାୟଗଡ଼ା ବ୍ଲକର ୭ ଜଣ ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ର ଦୁଇ ଜଣ ଶ୍ରମିକ ପରିବାର ପୋଷଣ ପାଇଁ ତେଲେଙ୍ଗାନାର ମେହେବୁବାବାଦ୍ ଜିଲ୍ଲା ସିତେନପେଟ୍ ରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ l ସେଠାରେ ଜଣେ ଠିକାଦାର ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ l ତିନି ମାସ କାମ କରିବା ପରେ ମଧ୍ୟ ସମ୍ପୃକ୍ତ ଠିକାଦାର ମଜୁରୀ ଦେଉନାହିଁ l ମାଗିଲେ ଧମକ ଚମକ ଦେବା ସହ ବନ୍ଦି କରିବାର ଭୟ ଦେଖାଉଛି l ଆଜିକୁ ୫ ଦିନ ହେଲାଣି ଖାଇବାକୁ ନାହିଁ କି ଘରକୁ ଯିବାକୁ ଟଙ୍କା ନାହିଁ l ଜୀବନ ପ୍ରତି ଭୟ ଥିବାରୁ ଶ୍ରମିକମାନେ ଏକ ଭିଡ଼ିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି l ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି l
