ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୨ ବର୍ଷୀୟା ନାବାଳିକାଙ୍କର ମୃତ୍ୟୁ ହୋଇଛି । ଆଉ ମୃତ୍ୟୁର କାରଣ ଚାଉମିନ୍ ବୋଲି କୁହାଯାଉଛି । ପ୍ରକୃତରେ, ନାବାଳିକା ଜଣକ ଦଶହରା ଦିନ ଅକ୍ଟୋବର ୨୦ ତାରିଖରେ ନିଜ ପରିବାର ଲୋକଙ୍କ ସହ ମନ୍ଦିର ଯାଇ ଥିଲେ । ମନ୍ଦିର ନିକଟରେ ଏକ ମେଳା ବସି ଥିଲା ।ସେତେବେଳେ ନାବାଳିକା ଜଣକ ମେଳାରୁ ଚାଉମିନ୍ ଏବଂ ଆଇସକ୍ରିମ ଖାଇ ଥିଲେ, ଯାହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇ ଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଖାଦ୍ୟର କୌଣସି ଏକ ଖଣ୍ଡ ତାଙ୍କ ଶ୍ୱାସନଳୀରେ ଫସି ଯାଇଥିବା ସନ୍ଦେହ କରୁଛନ୍ତି ଅଧିକାରୀମାନେ, ଯେଉଁ କାରଣରୁ ତାଙ୍କର ଜୀବନ ଚାଲି ଗଲା ।
ମିଳିଥିବା ସୂଚନା ଅନୁଯାୟୀ, ଏଟା ଜିଲ୍ଲାର ମିରହଚୀ ସହରର ବାସିନ୍ଦା ୧୦ମ ଶ୍ରେଣୀର ଛାତ୍ରୀ ତାନୁ ଶ୍ରୀବାସ୍ତବ , ନବରାତ୍ରୀ ବ୍ରତ ପୂରା କରିବା ପରେ ସୋମବାର ଅପରାହ୍ନରେ ନିଜ ପରିବାର ସହିତ କାସଗଞ୍ଜସ୍ଥିତ ମା’ ଚାମୁଣ୍ଡା ଦେବୀ ମନ୍ଦିରରେ ପହଞ୍ଚି ଥିଲେ । ଅଧିକାରୀମାନେ ଜଣାଇଛନ୍ତି ଯେ, ପୂଜାର୍ଚ୍ଚନା କରିବା ପରେ ସେ ମନ୍ଦିର ପରିସରରେ ଲାଗିଥିବା ମେଳାରେ ଚାଉମିନ୍ ଏବଂ ଆଇସକ୍ରିମ ଖାଇଥିଲେ ଏବଂ ପ୍ରାୟ ସାଢ଼େ ଚାରିଟା ସମୟରେ ଘରକୁ ଫେରିବା ବାଟରେ ସେ ହଠାତ୍ ଅସ୍ୱାଭାବିକ ଅନୁଭବ କରିବା ସହ ବାନ୍ତି କରି ଥିଲେ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁର ପ୍ରକୃତ କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇ ପାରିବ । ମୃତ ନାବାଳିକା ଜଣକ ‘ଦ ଏଞ୍ଜେଲ ଫ୍ୟୁଚର ସ୍କୁଲ’ର ଛାତ୍ରୀ ଥିଲେ । ତାଙ୍କ ବାପା ଶରଦ ଶ୍ରୀବାସ୍ତବ ଆସାମର ଡିବ୍ରୁଗଡ଼ରେ ଏକ ବେସରକାରୀ କମ୍ପାନୀରେ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରନ୍ତି ।
