ତିର୍ତ୍ତୋଲ(ମାନସ କୁମାର ସୁତାର):- ରାଜନୀତିରେ କିଏ କେତେବେଳେ ନେତା ହେବାକୁ ମନ ବଳାଏ, କାହାର ଆବିର୍ଭାବ କେତେବେଳେ ହୁଏ ତାହା ଅନୁମାନ କରିବା କଷ୍ଟକର। ଦଳର ଅସ୍ତିତ୍ୱ କୁ ଯେଉଁମାନେ ବଞ୍ଚାଇ ରଖିଥିଲେ ସେମାନେ ଆଜି ଅବହେଳିତ ହେଲେ ନୂଆ ନୂଆ ଗାମୁଛା ପକାଇ କର୍ମୀ ସାଜିଥିବା ତଥା ଅନଭିଜ୍ଞ ଯୁବ ନେତା ମାନେ ସଙ୍ଗଠନ କୁ କେତେ ମାତ୍ରାରେ ମଜଭୂତ କରିବେ ତାହା ସମୟ ସାପେକ୍ଷ | ନିର୍ବାଚନମଣ୍ଡଳୀର ପୁନର୍ଗଠନ ବା ଡିଲିମିଟେସନ୍ ହୋଇନାହିଁ, ମହିଳା ସଂରକ୍ଷଣର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇନାହିଁ; କିନ୍ତୁ ଏବେଠାରୁ ନେତା ହେବାର ମନୋବାଞ୍ଛା ଜାଗ୍ରତ ହେଲାଣି କିଛି ଲୋକଙ୍କ ମନରେ ! ଏହା ହିଁ ବର୍ତ୍ତମାନ ରାଜନୀତିର ଏକ ରୋଚକ ଦିଗ। ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବହୁଚର୍ଚ୍ଚିତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସିଛି। ଭବିଷ୍ୟତରେ ନିର୍ବାଚନମଣ୍ଡଳୀର ପୁନର୍ଗଠନ ହେଲେ ଜଗତସିଂହପୁର ଜିଲ୍ଲାର ବିଧାନସଭା ଆସନ ସଂଖ୍ୟାରେ ପରିବର୍ତ୍ତନ ହେବ କି ନାହିଁ, ତାହା ଏବେ ଆଲୋଚନାର ବିଷୟ। ସେହିପରି ମହିଳା ସଂରକ୍ଷଣ ଲାଗୁ ହେବା ପରେ କେଉଁ ଆସନ କାହା ପାଇଁ ସଂରକ୍ଷିତ ହେବ, ତାହା ମଧ୍ୟ ଭବିଷ୍ୟତର ନିଷ୍ପତ୍ତି ଉପରେ ନିର୍ଭର କରିବ।
କିନ୍ତୁ ଏସବୁ ଅନିଶ୍ଚିତତା ମଧ୍ୟରେ ତିର୍ତ୍ତୋଲରେ ଏବେଠାରୁ ରାଜନୈତିକ ଚଳଚଞ୍ଚଳତା ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଜଣେ ସାଧାରଣ ବର୍ଗର ବ୍ୟକ୍ତି ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବା ଲକ୍ଷ୍ୟରେ ଅଣ୍ଟା ଭିଡ଼ିଥିବା କୁହାଯାଉଛି। ଦଶହରା ଅବସରରେ ୧୦୨ ନଂ. ତିର୍ତ୍ତୋଲ (ସଂରକ୍ଷିତ) ବିଧାନସଭା କ୍ଷେତ୍ରର ବିଭିନ୍ନ ଛକ ଓ ବିଦ୍ୟୁତ୍ ଖୁଣ୍ଟ ନିକଟରେ ଗେରୁଆ ରଙ୍ଗର ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳୁଛି। ଅବଶ୍ୟ ବାବୁ ଜଣଙ୍କ ଦଳୀୟ ଚି଼ହ୍ନ ବ୍ୟବହାର କରିନାହାନ୍ତି କିନ୍ତୁ ଏହାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।
ଚର୍ଚ୍ଚା ଅନୁଯାୟୀ, ଆସନ୍ତା ନଭେମ୍ବର ୧ ତାରିଖରେ ଶାରଳା ମନ୍ଦିର ପ୍ରାଙ୍ଗଣରେ ଏକ ସମାବେଶ ଆୟୋଜନ କରାଯିବାର ଯୋଜନା ରହିଛି। ଏହି ସମାବେଶରେ ଶିକ୍ଷକ, ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କଥା ଶୁଣିବାକୁ ମିଳୁଛି। ଏପରିକି କେତେକ ମଣ୍ଡଳସ୍ତରୀୟ ନେତାଙ୍କୁ ଦଶହରା ଅବସରରେ ଆପ୍ୟାୟିତ କରାଯାଇଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି—ଏହା କେବଳ ଏକ ସାମାଜିକ ସମାବେଶ, ନା ଏହା ପଛରେ ରହିଛି ଭବିଷ୍ୟତର ରାଜନୈତିକ ଅଭିଳାଷ? ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାବେ ପରିଚିତ ଭାରତୀୟ ଜନତା ପାର୍ଟିରେ କିଏ ଯୋଗଦେଲେ କିମ୍ବା କିଏ ଦଳ ଛାଡ଼ିଲେ, ତାହା ଗଣତାନ୍ତ୍ରିକ ରାଜନୀତିର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଦଳର ସାଧାରଣ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ସମର୍ଥକମାନଙ୍କୁ ଅନ୍ଧାରରେ ରଖି କେତେକ ପଦାଧିକାରୀଙ୍କୁ ନେଇ ବ୍ୟୟବହୁଳ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଦଳୀୟ ଶୃଙ୍ଖଳା ଓ ସାଂଗଠନିକ ସ୍ୱଚ୍ଛତା ଦୃଷ୍ଟିରୁ ଆଲୋଚନା ଦାବି କରେ।ସ୍ଥାନୀୟ ମହଲରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ କଂଗ୍ରେସ ଶିବିରରେ ଥିଲେ ଏବଂ ପରେ ବିଜୁ ଜନତା ଦଳରେ ନିଜର ରାଜନୈତିକ ସ୍ଥିତି ସୁଦୃଢ଼ କରିବାରେ ସଫଳ ନହେବାରୁ ଏବେ ବିଜେପି ଆଡ଼କୁ ମୁହାଁଇଛନ୍ତି। ତେବେ ଏହି ଚର୍ଚ୍ଚାର ସତ୍ୟତା ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ପଷ୍ଟୀକରଣ ଓ ଦଳୀୟ ସୂଚନା ମିଳିବା ପରେ ହିଁ ସ୍ପଷ୍ଟ ହୋଇପାରିବ।
ଏଠାରେ ଆଉ ଏକ ମୌଳିକ ପ୍ରଶ୍ନ ଉଠୁଛି ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିବା ପୂର୍ବରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏପରି ସମାବେଶ ଆୟୋଜନ କରିବା କେତେଦୂର ଯୁକ୍ତିଯୁକ୍ତ? ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଦଳୀୟ ସଂଗଠନ, ବିଧାୟକ ପ୍ରାର୍ଥୀ ଓ ସାଂସଦଙ୍କ ସହମତି ରହିଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେବା ଆବଶ୍ୟକ।
ସାମାଜିକ ସମାବେଶ ହେଉ, ସମ୍ବର୍ଦ୍ଧନା ସଭା ହେଉ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ ଏଥିରେ କାହାର ଆପତ୍ତି ରହିବା ଉଚିତ ନୁହେଁ। କିନ୍ତୁ ଦଳୀୟ କାର୍ଯ୍ୟକ୍ରମ ହେଲେ ତାହା ଦଳର ନୀତି, ଶୃଙ୍ଖଳା ଓ ସାଂଗଠନିକ ପରମ୍ପରା ଅନୁଯାୟୀ ହେବା ଆବଶ୍ୟକ। ବ୍ୟକ୍ତିଗତ ରାଜନୈତିକ ଅଭିଳାଷ ଅପେକ୍ଷା ସଂଗଠନର ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ଦେବା ହିଁ ଜଣେ ଦାୟିତ୍ୱବାନ ରାଜନୈତିକ କର୍ମୀଙ୍କ ପରିଚୟ।
ଅନ୍ୟଥା, ଆଜିର ଏହି ଛୋଟ ଛୋଟ ଅସନ୍ତୋଷ ଆଗାମୀ ଦିନରେ ସଂଗଠନ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ।
ଶେଷରେ ସାଧାରଣ କର୍ମୀ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ
ଡିଲିମିଟେସନ୍ ହୋଇନାହିଁ, ସଂରକ୍ଷଣର ଚିତ୍ର ସ୍ପଷ୍ଟ ନୁହେଁ; ତଥାପି ନେତା ହେବାର ଏତେ ତରବର କାହିଁକି? ରାଜନୀତିରେ ପଦ ଓ ପ୍ରାର୍ଥିତ୍ୱ ପାଇଁ ଆଗୁଆ ଦୌଡ଼ିବା ଅପେକ୍ଷା ଦଳ ପ୍ରତି ନିଷ୍ଠା, କାର୍ଯ୍ୟକର୍ତ୍ତାଙ୍କ ବିଶ୍ୱାସ ଓ ଜନସାଧାରଣଙ୍କ ଆସ୍ଥା ଅର୍ଜନ କରିବା ଅଧିକ ଜରୁରୀ ନୁହେଁ କି?ରାଜନୀତିରେ ଆକାଂକ୍ଷା ରହିବା ସ୍ୱାଭାବିକ; କିନ୍ତୁ ସଂଗଠନକୁ ପଛରେ ପକାଇ ବ୍ୟକ୍ତିଗତ ଅଭିଳାଷକୁ ଆଗରେ ରଖିବା କେତେଦୂର ଦୂରଦର୍ଶୀ ପଦକ୍ଷେପ, ତାହା ସମୟ ହିଁ କହିବ।
