ଭୋଟର ଲିଷ୍ଟ ରୁ ବୈଧ ନାମ ବାଦ୍ ପଡିବା ପ୍ରତିବାଦରେ ଝାରସୁଗୁଡା ଜିଲ୍ଲା ଲଇକେରା ରେ ବିଜେଡି ଆନୁକୂଲ୍ୟରେ ଏକ ବିରାଟ ପଟୁଆରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମୋ ଭୋଟ ମୋ ଅଧିକାର ନାରା ବାଜୀ ଦେଇ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ତ୍ୱରେ ହଜାର ହଜାର ବିଜେଡି କର୍ମୀ ବିଜେଡି କାର୍ଯ୍ୟାଳୟ ପାଖରେ ଥିବା କରୁଣାକର ଛକ ଠାରୁ ବାହାରି ଲଇକେରା ପୋଲିସ ଷ୍ଟେସନ ରେ ପହଞ୍ଚିଥିଲେ ।ଏହି ଅବସରରେ ଝାରସୁଗୁଡା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଲଇକେରା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ଭୋଟର ଲିଷ୍ଟ ସ୍ୱତନ୍ତ୍ର ସଘନ ପ୍ରକ୍ରିୟାରେ ଏକ ନିର୍ଦ୍ଧିଷ୍ଟ ଦଳର କର୍ମୀମାନେ ଜାଳ କାଗଜ ପତ୍ର ଓ ମିଥ୍ୟା ଅଭିଯୋଗ ଦେଇ ବୈଧ ଭୋଟରଙ୍କୁ ମୃତ ଘୋଷଣା କରି ନାମ ହଟାଇବାକୁ ଚେଷ୍ଟା କରୁଛନ୍ତି । ଜଣେ ବ୍ୟକ୍ତି ଗୋଟିଏ ଦିନରେ ସର୍ବାଧିକ ୧୦ଟି ଆପତ୍ତି ଅଭିଯୋଗ ଦାଖଲ କରିବା ନିୟମ ଥିବାବେଳେ ଏହାର ଖୁଲମଖୁଲା ଉଲଙ୍ଘନ କରାଯାଉଛି ।ଏ ନେଇ ଏଫଆଇଆର ଦେବାକୁ ଗଲେ ପୋଲିସ ମାମଲାରୁଜୁ କରିବାରେ ଆପତ୍ତି କରୁଥିବା ଅଭିଯୋଗ ହୋଇଛି ।ପ୍ରଜା ପ୍ରତିନିଧି ଆଇନ ୧୯୫୦ରେ ଧାରା ୩୧ ଅନୁଯାୟୀ ଏଭଳି ମିଥ୍ୟା ଆବେଦନକାରୀ ଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଳକ ବିଜେଡି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟ ରେ ଦାବୀ କରାଯାଇଛି ।କାହାର ଚାପରେ ଗଣତାନ୍ତ୍ରିକ ଅଧିକାରକୁ ମାରି ଦିଆଯାଉଛି ବୋଲି ବିଜେଡି ପ୍ରଶ୍ନ କରୁଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଲଇକେରା ବ୍ଲକ ଅଧ୍ୟକ୍ଷ ସଞ୍ଜିବ କୁମାର ନାଏକ,ବ୍ଲକ ବିଜେଡି ସଭାପତି ସତ୍ୟପ୍ରକାଶ ନାଏକ (ଶାନ୍ତନୁ),ମହିଳା ଜିଲ୍ଲା ବିଜେଡି ସଭାପତି ଭଗବତୀ ବେହେରା, ସବିତା ବାଗ, ରୋଜାଲିନ ପଟେଲ,ଭୂପାଳ ଚନ୍ଦ୍ର ବେହେରା ଙ୍କ ସହିତ ବହୁ ମହିଳା ଓ ଯୁବ କର୍ମୀ ଯୋଗଦେଇଥିଲେ ।ନାଗରିକଙ୍କ ଗଣତାନ୍ତ୍ରିକ ଓ ମୈାଳିକ ଭୋଟ ଦାନ ଅଧିକାର ସୁରକ୍ଷିତ ନରହିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳି ଦାସ ଚେତାବନୀ ଦେଇଛନ୍ତି ।
