ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର ) ଖୋର୍ଦ୍ଧା ଗୋପବନ୍ଧୁ ଜିଲା ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଦୁଇଦିନ ଧରି ମୁଖ୍ୟ ଫାଟକରେ ତାଲା ପଡ଼ିଥିବାରୁ ନିରାମୟ ଓ ପଞ୍ଜିକରଣ ପାଇଁ ଆସୁଥିବା ରୋଗୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

ଏକ ଛୋଟ ପରିସରରେ ଚର୍ମ, ଦାନ୍ତ ଓ ENT ବିଭାଗ ଚାଲୁଥିବାରୁ ଅତ୍ୟଧିକ ଭିଡ଼ ହେଉଛି। ବର୍ଷା ପରେ ପାର୍କିଂ ଅଞ୍ଚଳରେ ପାଣି ଜମିବାରୁ ଲୋକେ ଅନ୍ୟତ୍ର ଗାଡ଼ି ରଖୁଛନ୍ତି। ଏହା ସହ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଅଭାବ ନେଇ ମଧ୍ୟ ଅଭିଯୋଗ ହୋଇଛି।
ଅନ୍ୟପଟେ ଚିକିତ୍ସାଳୟର ବିଭିନ୍ନ ମହଲାର ଟୟଲେଟ୍ ଅପରିଷ୍କାର ଓ ଦୁର୍ଗନ୍ଧମୟ ଥିବା ଅଭିଯୋଗ ଆସିଛି। ବିଶେଷକରି ICU ନିକଟର ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚକାଚକ ବିଲ୍ଡିଂ ସହ ରୋଗୀଙ୍କୁ ସୁଗମ ଯାତାୟାତ, ସ୍ୱଚ୍ଛ ପରିବେଶ ଓ ଆବଶ୍ୟକ ରକ୍ତ ଯୋଗାଣ ନିଶ୍ଚିତ କରିବାକୁ ଦାବି ହୋଇଛି। ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ମିଳିଲେ ପ୍ରକୃତ ସ୍ଥିତି ଜଣାପଡ଼ିବ।

