ବଲାଙ୍ଗିର, ୨୧/୧୦: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରିଠାରେ ପ୍ରଥମ ସାଉଁତେଶ୍ୱରୀ ମହୋତ୍ସବ ଭକ୍ତିମୟ ଓ ଉତ୍ସବମୁଖର ପରିବେଶରେ ଉଦ୍ଯାପିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ମହୋତ୍ସବ ଅଞ୍ଚଳର ଧାର୍ମିକ ଆସ୍ଥା, ପରମ୍ପରା ଓ ଲୋକସଂସ୍କୃତିର ଏକ ନିଆରା ପରିଚୟ ସୃଷ୍ଟି କରିଛି। ଲାଲମୋହନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ଯୁବନେତା ନିହାର ରଞ୍ଜନ ବେହେରା, ବିଜେଡି ନେତା ଲକ୍ଷ୍ମଣ ମେହେର, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତିନ ପଟେଲ, ସରପଞ୍ଚ ସଂଘ ସଭାପତି, ସରପଞ୍ଚ ମଦନା ବେହେରା, ସମିତି ସଭ୍ୟା ସସ୍ମିତା ସାହୁ, କବିରାଜ ଭୋଇ ଏବଂ ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅଞ୍ଚଳର ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ସମେତ ବୁଢ଼ାରଜା, ନରିହା ବୁଢ଼ା, ଡଙ୍ଗରବୁଢ଼ା ଏବଂ ଅଇଁଲାସାରି ବୁଢ଼ା ଡଙ୍ଗର ପାହାଡ଼ରେ ବିରାଜମାନ ବିଭିନ୍ନ ଦେବାଦେବୀଙ୍କ ପ୍ରତି ଅଞ୍ଚଳବାସୀଙ୍କ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି। ପାରମ୍ପରିକ ବରୁଆଙ୍କ ମାଧ୍ୟମରେ ଦେବଦେବୀଙ୍କ ଆବିର୍ଭାବ ଓ ଦର୍ଶନ ପାଇଁ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନେ ନିଜର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଦେବଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମୁଖ୍ୟ ବରୁଆ ଜୟ ମଙ୍ଗଲ ବେହେରା ଓ ରାଜେନ୍ଦ୍ର ସା ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ମହୋତ୍ସବରେ ଅଞ୍ଚଳର ପାରମ୍ପରିକ ଲୋକକଳା ଓ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଦିଆଯାଇଥିଲା। ଢୋଲ ମୁହୁରୀ କଳା ପରିଷଦ ଏବଂ ଶ୍ରୀରାମ କଳା ପରିଷଦ, ଚନ୍ଦ୍ରପୁର ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା। ଏହି ମହୋତ୍ସବର ସଫଳ ଆୟୋଜନରେ ବଳରାମ ଚନ୍ଦନ, ଯୁବନେତା ଉମେଶ ପ୍ରଧାନ, ସୁବାଷ ଚନ୍ଦ୍ର ବିଶ୍ୱାଳ, ଗୋକୁଳ ବିଶ୍ୱାଳ, ଉକାଲୁ ସା, ସଦାନନ୍ଦ ଦୀପ, ନାରାୟଣ ବେହେରା, ଶ୍ରୀବତ୍ସ ସାହୁ, ବ୍ରଜଲାଲ ସାହୁ, ମାଖନଫୁଲ ଚନ୍ଦନ, ସଦାନନ୍ଦ ବେହେରା ଓ ଅର୍ଜୁନ ବେହେରାଙ୍କ ସମେତ ଅନେକ ସ୍ଥାନୀୟ ବ୍ୟକ୍ତି ସହଯୋଗ କରିଥିଲେ l ପ୍ରଥମ ସାଉଁତେଶ୍ୱରୀ ମହୋତ୍ସବ ଅଞ୍ଚଳର ଧାର୍ମିକ ପରମ୍ପରା, ଲୋକକଳା ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ପିଢ଼ି ପାଇଁ ଏହି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦ ପ୍ରତୀକ୍ଷା ନ୍ୟୁଜ୍।
