ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଅବ୍ୟବସ୍ଥାର ଏକ ସାଂଘାତିକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଶୁକ୍ରବାର ମଧ୍ୟାହ୍ନ ସମୟରେ ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଥିବା ଜଣେ ମହିଳା ଙ୍କୁ ପରିବାର ବର୍ଗ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାକୁ ନେଇକି ଆସିଥିଲେ। ତେବେ ସେଦିନ ଦାୟିତ୍ଵ ରେ ଥିବା ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗର୍ଭବତୀ ମହିଳାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହେଉଛି। ଏହା ପରେ ଡାକ୍ତରଖାନା କତ୍ତୃପକ୍ଷ ଉକ୍ତ ଶୋକ ସନ୍ତପ ପରିବାର ଉପରେ ଚାପ ପ୍ରୟୋଗ କରି ଘଟଣାକୁ ଚପାଇ ଦେଇଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, ପାଟଣାଗଡ଼ ଘୁଚେପାଲି ଗାଁ ର ଜିତୁ ସୁନା ଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀ ସୁନା (୩୨) ଙ୍କ ଶୁକ୍ରବାର ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା। ପରିବାର ବର୍ଗ ଉପଯୁକ୍ତ ଚିକିତ୍ସା ପାଇଁ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ କି ଆସିଥିଲେ। ଡାକ୍ତରଖାନା ରେ ପହଞ୍ଚିବା ପରେ ପ୍ରଥମେ ଦୀର୍ଘ ସମୟ ର ଅବହେଳା ପରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରୋସନ ମେହେର ଡ଼ାକ୍ତରଖାନାକୁ ପହଞ୍ଚିଥିଲେ। ମହିଳା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ରକ୍ତ ପରୀକ୍ଷା କରିବାକୁ ପ୍ରଥମେ ଡାକ୍ତର ଜଣକ ପରାମର୍ଶ ଦେଇଥିଲେ। ପରିବାର ବର୍ଗ କାଳବିଳମ୍ବ ନକରି ସଙ୍ଗେ ସଙ୍ଗେ ରକ୍ତ ପରୀକ୍ଷା କରି ନେଇ କି ଆସିଥିଲେ। ଦିନ ସାଢେ଼ ୧୧ ଠାରୁ ୩ ଟା ପର୍ଯ୍ୟନ୍ତ ଆଉ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବାବୁ ଜଣକ ଡ଼ାକ୍ତରଖାନାକୁ ଆସିନଥିଲେ। ଏହି ସମୟ ବ୍ୟବଧାନରେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗିଥିଲା। ମୃତ ମହିଳାଙ୍କ ସ୍ବାମୀ ଓ ତାଙ୍କ ପରିବାର ବର୍ଗ ଡ୍ୟୁଟିରେ ଥିବା ଷ୍ଟାଫ୍ ନର୍ସ ମାନଙ୍କୁ କାକୁତି ମିନତି କରିଥିଲେ। ଦୀର୍ଘ ୪ ଘଣ୍ଟାର ଗର୍ଭ ଯନ୍ତ୍ରଣା ପରେ ମହିଳା ଜଣଙ୍କ ଅଚେତ୍ ହୋଇଯାଇଥିଲେ। ଡ୍ୟୁଟିରେ ଥିବା ଷ୍ଟାଫ୍ ନର୍ସ ମାନେ ମହିଳା ଙ୍କ ଅବସ୍ଥା ଦେଖି କାଳେ ମରିଗଲେ ଡାକ୍ତରଖାନା ବଦନାମ ହୋଇ ଯିବ ଭାବି ଡାକ୍ତର ଙ୍କ ସହିତ ଫୋନ ଯୋଗେ କଥା ହୋଇ ତୁରନ୍ତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ନେବାକୁ ପରାମର୍ଶ ଦେବା ସହ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେତେବେଳକୁ ଡାକ୍ତରଖାନା ରେ ଗୋଟିଏ ହେଲେ ଆମ୍ବୁଲାନ୍ସ ନଥିଲା। ଏହାଦେଖି ସ୍ବାମୀ ନିରୁପାୟ ହୋଇ କାଳେ ସ୍ତ୍ରୀ ବଞ୍ଚି ଯିବା ଆଶାରେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସ ରେ ବଲାଙ୍ଗୀର କୁ ନେବା ରାସ୍ତାରେ ଭଇଁଷା ଏବଂ ଧୁବଲପଡା ମଝିରେ ମହିଳା ଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା । ତଥାପି ସ୍ବାମୀ ବିଚାର ସ୍ତ୍ରୀ ଙ୍କୁ ନେଇ ବଲାଙ୍ଗୀର ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ବଲାଙ୍ଗୀର ପୁଲିସ ପହଞ୍ଚି ମୃତ ମହିଳାଙ୍କ ମୃତଦେହକୁ ଜବତ କରି ଶବ ଗୃହରେ ରଖିଥିଲା। ସକାଳୁ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପୂର୍ବ ଯୋଜନା ମୁତାବକ ପରିବାର ବର୍ଗ ଏବଂ ତାଙ୍କ ସମ୍ପର୍କୀୟ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବାର ଯୋଜନା କରିଥିଲେ। ଖବର ପାଇଁ ବଲାଙ୍ଗୀର ରୁ ପୁଲିସ ର ଏକ ସ୍ବତନ୍ତ୍ର ଟିମ୍ ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସହ ମିଶି ଆମ୍ବୁଲାନ୍ସ ର ଆଗପଛ ହୋଇ ପାଟଣାଗଡ଼ ରେ ପହଞ୍ଚିଥିଲେ। ଧୂମାଭଟା ଛକ ଠାରେ ଆମ୍ବୁଲାନ୍ସ ଟିକୁ ପୁଲିସ ବଲୟରେ ରଖାଯାଇଥିଲା। ପରେ ମୃତ ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ଜଣେ ସମ୍ପର୍କୀୟ ଙ୍କୁ ଡାକ୍ତର ରୋସନ ମେହେର ଆଉ ଦୁଇ ଜଣ ଡାକ୍ତରଙ୍କ ସହାୟତା ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକି ତାଙ୍କ ଉପରେ ଚାପ ପକାଇବା ସହ ସରକାରୀ ସହାୟତା ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ପ୍ରତିଶ୍ରୁତି ଦେଇଥିଲେ। ସ୍ବାମୀ ଏବଂ ପରିବାର ବର୍ଗ ଚାପଗ୍ରସ୍ତ ସହ ନିରୁପାୟ ହୋଇ ମୃତ ମହିଳାଙ୍କ ଶବକୁ ଗାଁ କୁ ନେଇ ଶବ ସତ୍କାର କରିଥିଲେ। ମୃତ ମହିଳାଙ୍କ ଆଠ ବର୍ଷ ଓ ସାଢେ଼ ତିନି ବର୍ଷର ନାବାଳିକା ଝିଅ ଥିବା ବେଳେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଅବହେଳା ଯୋଗୁଁ ଏବେ ସେମାନେ ମାଆ ଛେଉଣ୍ଡ ହୋଇଗଲେ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
