ଗଜପତି ଜିଲ୍ଲାର ନୂଆଗଡ଼ ତହସିଲ୍ ଅନ୍ତର୍ଗତ ରାଗାଇଝୁଲି ଗ୍ରାମରେ ଭୂସ୍ଖଳନ ବିପଦ ଏବେ ବି ଟଳିନାହିଁ। କିଛି ବର୍ଷ ପୂର୍ବେ ବାତ୍ୟା ଯୋଗୁଁ ପାହାଡ଼ ଧସି ଅନେକ ଧନଜୀବନ ନଷ୍ଟ ହୋଇଥିବା ଘଟଣା ପରେ ସରକାରଙ୍କ ପକ୍ଷରୁ ୨୨ ଟି ପରିବାରକୁ ଅନ୍ୟତ୍ର ଥଇଥାନ କରିବା ପାଇଁ ଘରବାରି ପଟ୍ଟା ପ୍ରଦାନ କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାରଗୁଡ଼ିକ ପାଇଁ ଜମି ଚିହ୍ନଟ ହୋଇପାରିନଥିବା ଅଭିଯୋଗ ହୋଇଛି ।
ଫଳରେ ଥଇଥାନ ପାଇଁ ପଟ୍ଟା ପାଇଥିଲେ ମଧ୍ୟ ଜମି ମିଳିନଥିବାରୁ ଏହି ୨୨ ଟି ପରିବାର ବାଧ୍ୟ ହୋଇ ପୂର୍ବର ବିପଦପୂର୍ଣ୍ଣ ଭୂସ୍ଖଳନ ଅଞ୍ଚଳରେ ରହୁଛନ୍ତି। ଏହା ସେମାନଙ୍କ ଜୀବନ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଥିବା ଗ୍ରାମର, ଫିଲିପ ମଣ୍ଡଳ,ସାମସନ୍ ରଇତ,
ଶ୍ରୀନାଥ ମଣ୍ଡଳ, ନବୀନ ରଇତ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।
ସରକାର ଥଇଥାନ ପାଇଁ ପଟ୍ଟା ପ୍ରଦାନ କରିଥିବା ସତ୍ତ୍ୱେ ଜମି ଚିହ୍ନଟ ପ୍ରକ୍ରିୟା ଦୀର୍ଘଦିନ ଧରି ଅଟକି ରହିବାର କାରଣ କ’ଣ, ତାହାକୁ ନେଇ ସ୍ଥାନୀୟ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ଏହି ସମସ୍ୟାର ସମାଧାନରେ ବିଳମ୍ବ ହେବା ଫଳରେ ବିପଦସଂକୁଳ ଅଞ୍ଚଳରେ ରହୁଥିବା ପରିବାରଗୁଡ଼ିକ ନିରାପତ୍ତା ନେଇ ଚିନ୍ତାରେ ରହିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ୨୨ ଟି ପରିବାର ପାଇଁ ଜମି ଚିହ୍ନଟ ଓ ଥଇଥାନ ପ୍ରକ୍ରିୟା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଅଧିବାସୀମାନେ ଦାବି କରିଛନ୍ତି। ବିପଦପୂର୍ଣ୍ଣ ଅଞ୍ଚଳରୁ ଏହି ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଥଇଥାନ କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ଯୁଜ୍।
