ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ କୋଇଡ଼ା ଅଞ୍ଚଳର ପନ୍ଦରଟି ପଞ୍ଚାୟତର ଶତାଧିକ ଲୋକ ଜିଲ୍ଲାପାଳଙ୍କ ଯୁଗ୍ନ ଜନ ଶୁଣାଣୀକୁ ଘେରାଉ କରି ତୀବ୍ର ପ୍ରତିବାଦ ଜଣାଇଥିଲେ। ଦୀର୍ଘ ବର୍ଷ ଧରି ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକ ଅନୁତ୍ତରିତ ରହିଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। ରାସ୍ତାଘାଟର ଦୟନୀୟ ଅବସ୍ଥା, ସ୍କୁଲରେ ଶିକ୍ଷକ ଓ ଆଧାରଭୂତ ସୁବିଧାର ଅଭାବ, ଅନିୟମିତ ବିଦ୍ୟୁତ୍ ସେବା ଏବଂ ପାନୀୟ ଜଳ ସଙ୍କଟ ନେଇ ଲୋକେ ବର୍ଷକାଳ ଧରି ପ୍ରଶାସନଙ୍କୁ ଅବଗତ କରୁଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ନ ହୋଇଥିବାରୁ ଲୋକମାନେ ବାଧ୍ୟ ହୋଇ ଆନ୍ଦୋଳନର ପଥ ଅନୁସରଣ କରିଥିବା କହିଛନ୍ତି।
ଆନ୍ଦୋଳନ ସମୟରେ ଲକ୍ଷ୍ମଣ ମୁଣ୍ଡା କହିଥିଲେ ଯେ, ଖଣି ସମୃଦ୍ଧ କୋଇଡ଼ା ଅଞ୍ଚଳରୁ ସରକାର କୋଟି କୋଟି ଟଙ୍କା ଆୟ କରୁଥିବା ସତ୍ତ୍ୱେ ଏଠାକାର ସାଧାରଣ ଲୋକ ଆଜି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ଗ୍ରାମୀଣ ଅଞ୍ଚଳର ଅନେକ ରାସ୍ତା ଚାଲିବା ଅଯୋଗ୍ୟ ହୋଇପଡ଼ିଥିବାରୁ ରୋଗୀ, ଛାତ୍ରଛାତ୍ରୀ ଓ ଗର୍ଭବତୀ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ପାଇଁ ଲୋକମାନେ ଦୂର ଦୂରାନ୍ତରୁ ପାଣି ଆଣୁଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ନିୟମିତ ଘଟଣା ହୋଇପଡ଼ିଛି। ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ଅନିଶ୍ଚିତ ହୋଇପଡ଼ିଛି ବୋଲି ସେ ଅଭିଯୋଗ କରିଥିଲେ।
ପ୍ରତିବାଦକାରୀମାନେ ଦାବି କରିଥିଲେ ଯେ, ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସ୍ପଷ୍ଟ କାର୍ଯ୍ୟଯୋଜନା ଘୋଷଣା କରାଯାଉ। ନଚେତ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ଗଢ଼ି ଉଠିବ ବୋଲି ସତର୍କ କରାଯାଇଥିଲା। ଜନ ଶୁଣାଣୀ ସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପରେ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା। ଅଧିକାରୀମାନେ ଲୋକଙ୍କ ଦାବିପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।
ସୁନ୍ଦରଗଡ଼ କୋଇଡାରୁ ଜିଲ୍ଲାପ୍ରନିଧି ଡମୁ ପାତ୍ର ଙ୍କ ରିପୋର୍ଟ
