ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ପରିଚୟ ନୁହେଁ, ଏହା ଭକ୍ତି, ଆଧ୍ୟାତ୍ମିକତା ଓ ସାମାଜିକ ଏକତାର ଏକ ମହାନ ପରମ୍ପରା। ଏହି ମହାନ ସଂସ୍କୃତିକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସହ ଭକ୍ତମାନଙ୍କ ମଧ୍ୟରେ ଧାର୍ମିକ ଚେତନା ସୃଷ୍ଟି କରିବା ହେଉଛି ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।ଏହି କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ୨୪ଟି ବେଶର ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବ। ଏଥିସହ ଭଜନ କୀର୍ତ୍ତନ, ପ୍ରବଚନ ଓ ପାରାୟଣ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। ଯଜ୍ଞ ଓ ହୋମ ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିବ।

ଏହି ମହତ୍ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଶ୍ରୀଜଗନ୍ନାଥ ଭକ୍ତ ସମାଜ ଓ ପୋତା ପୋଖରୀ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆୟୋଜକଙ୍କ ଆଶା, ଏହି ଧାର୍ମିକ ଆୟୋଜନ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଭକ୍ତିଭାବ ସୃଷ୍ଟି କରିବ।
ତେବେ ଆସନ୍ତା ଡିସେମ୍ବର ୬ରୁ ୧୦ ତାରିଖ ଯାଏଁ ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ରେ ଅନ୍ତରାଷ୍ଟ୍ରୀୟ ପ୍ରବଚକ ସ୍ୱାମୀ ଶ୍ରୀ ସତ୍ୟାନନ୍ଦ ଦାସଙ୍କ ସହ ପୁରୀ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଓ ଶ୍ରୀ ବଳଭଦ୍ରଙ୍କ ବାଡଗ୍ରାହୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀଜଗନ୍ନାଥ ଭକ୍ତ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।
କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ
