ରାୟଗଡା: ଅକ୍ଟୋବର ୨, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଏହି ଅବସରରେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦାପଡା ଗ୍ରାମ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି । ସରପଞ୍ଚ ଶ୍ରୀ ନରସିଂହ କିଲାକାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଗ୍ରାମର ବିକାଶ ଯୋଜନା, ଜନସାଧାରଣଙ୍କ ସମସ୍ୟା ଏବଂ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ବିସ୍ତୃତ ଆଲୋଚନା ହୋଇଛି । ସଭାରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ହଲଧର ହିମିରିକା, ନାଏବ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ। ଗ୍ରାମର ବିଭିନ୍ନ ସମସ୍ୟା ସହ ବିକାଶମୂଳକ ପ୍ରସଙ୍ଗ ଉପରେ ଗ୍ରାମବାସୀ ନିଜ ନିଜ ମତାମତ ଓ ସମସ୍ୟା ଉପସ୍ଥାପନ କରିଥିଲେ । ବିଶେଷକରି ରାସ୍ତା, ନାଳ, ପାନୀୟ ଜଳ, ପରିମଳ, ଆଲୋକ ବ୍ୟବସ୍ଥା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏଥିସହ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି କି ନାହିଁ ଏବଂ କୌଣସି ଯୋଗ୍ୟ ବ୍ୟକ୍ତି ଯୋଜନାରୁ ବଞ୍ଚିତ ହୋଇଛନ୍ତି କି ନାହିଁ, ସେନେଇ ମଧ୍ୟ ମତାମତ ଗ୍ରହଣ କରାଯାଇଥିଲା । ଗ୍ରାମରେ ଚାଲୁଥିବା ଓ ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତର ଆଗାମୀ ଯୋଜନା, ଉପଲବ୍ଧ ଅର୍ଥର ସଠିକ୍ ବ୍ୟବହାର ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ, ସେନେଇ ଗ୍ରାମବାସୀଙ୍କ ମତାମତ ନିଆଯାଇଥିଲା । ଗ୍ରାମସଭା ମାଧ୍ୟମରେ ଲୋକମାନେ ନିଜ ଅଞ୍ଚଳର ସମସ୍ୟା ଓ ଆବଶ୍ୟକତା ପଞ୍ଚାୟତ ସମ୍ମୁଖରେ ସିଧାସଳଖ ଭାବେ ରଖିବାର ସୁଯୋଗ ପାଇଥିଲେ । ଏହି ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲିଙ୍ଗରାଜ ତାଡିଙ୍ଗି କରିଥିବାବେଳେ ଏଡିଓ ଶ୍ରୀ ରାଧାନାଥ ସରଙ୍ଗୀ ସହଯୋଗ କରିଥିଲେ।
ରାୟଗଡା ଜିଲ୍ଲାରୁ ଅକ୍ଷୟ ମହାନନ୍ଦିଆ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ ।
