ଖୋରଧା, : ହାତରେ ସଚେତନତାର ବାର୍ତ୍ତା, ମନରେ ସୁସ୍ଥ ସମାଜ ଗଠନର ସଂକଳ୍ପ। ଏଚ୍ଆଇଭି/ଏଡ୍ସ ବିରୋଧରେ ଯୁବପିଢ଼ିଙ୍କୁ ସଚେତନ କରିବା ଲକ୍ଷ୍ୟରେ ଖୋରଧାରେ ଆୟୋଜିତ ହୋଇଥିଲା ‘ରେଡ୍ ରନ୍ ମାରାଥନ୍ ୪.୦’। ୫ କିମି ଗଣଦୌଡ଼ରେ ୧୦ଟି ମହାବିଦ୍ୟାଳୟର ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇ ଏଚ୍ଆଇଭି/ଏଡ୍ସର ପ୍ରତିରୋଧ, ସୁରକ୍ଷା ଓ ସଚେତନତାର ବାର୍ତ୍ତା ଦେଇଥିଲେ।ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏହି ମାରାଥନ୍ ଆରମ୍ଭ ହୋଇଥିଲା। ସହକାରୀ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ କୁମାର ମିତ୍ର, ଡିଏମ୍ଓ ଜନସ୍ୱାସ୍ଥ୍ୟ ଡା. ଶ୍ୟାମ ପ୍ରସନ୍ନ ମିତ୍ର ଓ ଜିଲା ଏଚ୍ଆଇଭି/ଏଡ୍ସ ନୋଡାଲ ଅଧିକାରୀ ଡା. ସୁବ୍ରତ କୁମାର ତ୍ରିପାଠୀ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।ସିଡିଏମ୍ଓ କାର୍ଯ୍ୟାଳୟରୁ ବାହାରିଥିବା ଗଣଦୌଡ଼ ଖୋରଧା ପେଟ୍ରୋଲ ପମ୍ପ ଓ ନୂଆ ବସ୍ଷ୍ଟାଣ୍ଡ ଦେଇ ପୁନର୍ବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ରାସ୍ତାରେ ଦୌଡ଼ୁଥିବା ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଏଚ୍ଆଇଭି/ଏଡ୍ସ ସମ୍ପର୍କିତ ବିଭିନ୍ନ ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚିଥିଲା।

ମାରାଥନ୍ର ପୁରୁଷ ବିଭାଗରେ ଜଟଣୀସ୍ଥିତ ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନର ଚନ୍ଦନ ସାମଲ ପ୍ରଥମ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଖୋରଧାର ଅନୱର ଖାନ୍ ଦ୍ୱିତୀୟ ଏବଂ ଜଟଣୀସ୍ଥିତ ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନର ଚିତ୍ତରଞ୍ଜନ ରାଉତ ତୃତୀୟ ହୋଇଥିଲେ।ସେହିପରି ବାଳିକା ବିଭାଗରେ ଟାଙ୍ଗୀ ଡିସିସି ମହାବିଦ୍ୟାଳୟର ବର୍ଷାରାଣୀ ପ୍ରଧାନ ପ୍ରଥମ, ଜଟଣୀସ୍ଥିତ ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନର ପ୍ରୀୟାଂଶି ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ଏବଂ ସ୍ୱର୍ଣ୍ଣଲତା ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ।କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଞ୍ଜୟ ଚନ୍ଦ୍ର ରାୟ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କୃତୀ ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ରେଡ୍ ରନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।କାର୍ଯ୍ୟକ୍ରମକୁ ଡିପିଏମ୍ ଶ୍ରୀ ବିଧାନ ଚନ୍ଦ୍ର ନାୟକ ସଂଯୋଜନା କରିଥିଲେ। ଏଥିରେ ଡା. ଜୀବନ୍ତ ଆଚାର୍ଯ୍ୟ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡା. ସୁବୋଧ କୁମାର ଜଗଦେବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
